About The Book :
ସ୍ପର୍ଶରେ ଆପଣମାନେ ଭେଟିବେ ଜୀବନର ସକାଳ; ଶୈଶବର ଭିଜାସ୍ୱରକୁ । ଡୁବିବେ ମଧ୍ୟାହ୍ନ; ତରୁଣ ପ୍ରାଣର ସୁନା ହରିଣ ମୋହ ଓ ପ୍ରେମ ସୁଧାରେ । ବିସ୍ମୟ ହେବେ ଅପରାହ୍ନ: ପ୍ରୌଢତ୍ୱର ଦୌଡାକୁ ଦେଖି ଏବଂ ବିଗଳିତ ହେବେ ଜୀବନର ସଞ୍ଜ: ବାର୍ଦ୍ଧକ୍ୟ, ଶେଷ ଘଣ୍ଟାର କରୁଣ ଶବ୍ଦରେ । ପୁଣି ଚେଇଁ ଉଠିବେ ସ୍ପର୍ଶର ଅମୀୟ ସ୍ପର୍ଶରେ ।
ଆପଣ ପ୍ରତିଟି ବିଷୟ ଛୁଇଁଲେ ଛୁଇଁବେ କେହି ଜଣେ ଆଖ ପାଖ ମଣିଷ ଛାତି । କେଉଁଠି ହୁଏତ ନିଜ ଭିତରକୁ ଦେଖି ଚକିତ ହେବେ । ସ୍ପର୍ଶରେ ଥିବାପ୍ରତିଟି ଗଳ୍ପ ଆମ ଜୀବନର, ଯନ୍ତ୍ରଣାର, ଭୋଗିଥିବା ସମସାମୟିକ ଅନୁଭବର ଗଳ୍ପ ଅଟେ । ଏଠି କଳ୍ପନା ଅପେକ୍ଷା ବାସ୍ତବତାର ମହକରେ ଅଧିକ ମହକି ଉଠିବେ ଆପଣ ମାନେ। ସବୁ ବର୍ଗର ଗଳ୍ପ ସନ୍ନିବେଶିତ ଏଥିରେ । “ସ୍ପର୍ଶ” ଆପଣମାନଙ୍କୁ ବାସ୍ତବତାର ସ୍ୱାଦ ଦେବ ବୋଲି ଆମ ବିଶ୍ୱାସ ।
About The Author :
ସୃଜକ ସବୁ ଗପ ନିଜକୁ ନେଇ ଲେଖେ । ସାହିତ୍ୟ ତ ସେଇଆ; ନିଜ ସହ ସମୟ ଓ ଅନ୍ୟକୁ ଲେଖିବା । ବିଶ୍ୱର ସବୁ ବସ୍ତୁ-ଅବସ୍ତୁ, ଜୀବ-ନିର୍ଜୀବ ସୃଜକର ଅସ୍ତିତ୍ୱ ଦେଇ ଆତ୍ମ ପ୍ରକାଶ କରନ୍ତି । ସୃଜକ ଦେଇ ଘଟଣା ଓ ଚରିତ୍ର ଜୀବନ୍ୟାସ ପାଆନ୍ତି । ସେଇ ଚରିତ୍ର ଭିତରେ ନିଜ ସତ୍ତାକୁ ହଜେଇ ସେ ଭାସିଯାଆନ୍ତି କାହିଁ କେତେ ଦୂର । ନ ଘଟିଥିବା ଘଟଣା ଜଳ ଜଳ ହୋଇ ଦିଶିଯାଏ ତା’ସୃଜନମଗ୍ନ ଆଖିରେ । ଚରିତ୍ର କାନ୍ଦିଲେ ସୃଜକ କାନ୍ଦେ, ଚରିତ୍ର ହସିଲେ ସେ ବି ହସେ । ଲେଖିଲା ସମୟରେ ସେ ସମ୍ପୁର୍ଣ୍ଣ ନିମଜ୍ଜିତ ହୋଇ ରହିଥାଏ ନିଜ ଅସ୍ତିତ୍ୱ ଉତ୍ତାରି ଚରିତ୍ର ଭିତରେ । ସେଇ କିଛି ସମୟ ସେ ନିଜେ ହୋଇ ନଥାଏ । ଚରିତ୍ର ପାଲଟି ଯାଇ ତାରି ଜୀବନ ଜୀଉଁଥାଏ । ହଠାତ୍ ବାହ୍ୟ ସ୍ପର୍ଶରେ ତା ନିଦ୍ରା ଭଙ୍ଗ ହୁଏ । ଚରିତ୍ର ଖୋଳପା ଫିଙ୍ଗି ତେଲ-ଲୁଣ ସଂସାରକୁ ଫେରିଆସେ । ଏପରି ପ୍ରତି ଗପ ଲେଖିଲା ବେଳେ “ସ୍ପର୍ଶ”ର ଗାଳ୍ପିକା ସତ୍ୟବତୀ ସ୍ଵାଇଁଙ୍କ ଅନ୍ତଃକରଣରେ ଦୃଶ୍ୟମାନ ହୋଇଛି ଜୀବନ, ଜଗତ ଓ ସମୟ । ସମୟ ସ୍ୱରର ସ୍ୱାକ୍ଷର ବହନ କରିଛି ତାଙ୍କର ପ୍ରତିଟି ଗଳ୍ପ । ଗାଳ୍ପିକାଙ୍କ ଅନ୍ୟାନ୍ୟ ଗଳ୍ପ ସଂକଳନ ମଧ୍ୟରେ 'ହୃଦୟ ହଜିଛି', 'ନିଶା', 'ଦୃଶ୍ୟ' ଆଦି ବହୁଳ ଭାବେ ପାଠକୀୟ ଶ୍ରଦ୍ଧା ଲାଭ କରିପାରିଛି ।